ନବକୃଷ୍ଣ ଚୌଧୁରୀ ଥିଲେ ତ୍ୟାଗ ଓ ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଅତୁଳନୀୟ ତ୍ୟାଗ ଓ ଆଦର୍ଶର ମୂର୍ତ୍ତିମନ୍ତ ପ୍ରତୀକ, ଓଡ଼ିଆ ଭାଷା ଆଇନ, ଓଡ଼ିଶା ନିଶା ନିବାରଣ ଆଇନ, ଭୂସଂସ୍କାର ଆଇନ ପ୍ରଣେତା, ସ୍ୱାଧୀନୋତ୍ତର ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ରାଜର୍ଷୀ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜୟନ୍ତୀ ତାଙ୍କର ଓଡ଼ିଶା ବିଧାନସଭା ସଦନ ସମ୍ମୁଖରେ ପ୍ରତିଷ୍ଠିତ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ନିଜର ଶ୍ରଦ୍ଧାବଚନାର୍ପଣରେ କହିଥିଲେ ଯେ ବିଶ୍ୱ କ୍ଷମତା ରାଜନୀତିରେ ପୂଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀ ଜଣେ ବିସ୍ମୟ ପ୍ରତିଭା, ସର୍ବାଧିକ ଜନପ୍ରିୟ ଜନନେତା । ଦେଶର ମୁକ୍ତି ସଂଗ୍ରାମରେ ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତି ଦାନ କରି ସପରିବାର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୯୫୦ରୁ ୧୯୫୭ ଯାଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଐତିହାସିକ କୀର୍ତ୍ତି ଉପଲବ୍ଧି ମଧ୍ୟରେ ଜମିଜମା ସଂସ୍କାର ଆଇନ, ଜମିଦାରୀ ପ୍ରଥା ଉଚ୍ଛେଦ ଆଇନ, ଭାଗଚାଷ ଆଇନ, ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ଆଇନ, ନିଶା ନିବାରଣ ଆଇନ, ଶ୍ରୀମନ୍ଦିର ସଂସ୍କାର ଆଇନ, ଅଞ୍ଚଳ ସଂସ୍କାର ଆଇନ, ରାଜପଥ ଜାତୀୟକରଣ, ଚଳଚ୍ଚିତ୍ର ସଂସ୍କାର ଆଇନ ପ୍ରଭୃତି ଅନେକ ଜନକଲ୍ୟାଣ ଆଇନ ପ୍ରଣୟନ ସହିତ ରାଉରକେଲା ଇସ୍ପାତ କାରଖାନା, ହୀରାକୁଦ ବନ୍ଧ ଯୋଜନା, ବୁର୍ଲା ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା, ଓଡ଼ିଶା କୃଷି ଓ ଗୋପାଳନ ଶିକ୍ଷାର ବିକାଶ ଭଳି ଅନେକ ଯୁଗାନ୍ତକାରୀ ନିଷ୍ପତ୍ତି ତାଙ୍କୁ ଓଡ଼ିଶା ଇତିହାସରେ କାଳଜୟୀ, ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ ଓ ଅମର କରି ରଖିଛି ଓ ରଖିବ । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ରମେଶ ପାତାଳସିଂହ, ବିଜୟ ପରିଡ଼ା, ମୁରଲୀଧର, ଗିରିଶ ମିଶ୍ର, ତନ୍ମୟ ସାମନ୍ତରାୟ, ସୀମାଦ୍ରୀ ସାହାଣୀ, ବି. ମୁରଲୀଧର, ପ୍ରମୋଦ ଦେବ ପ୍ରମୁଖ ସେମାନଙ୍କ ଶ୍ରଦ୍ଧାବଚନାର୍ପଣରେ ନବକୃଷ୍ଣ ଚୌଧୁରୀଙ୍କ ବହୁମୁଖୀ ଅବଦାନର ସ୍ମୃତିଚାରଣ କରିଥିଲେ । ଅଭିଯାନର ସଂଯୋଜକ ନାରାୟଣ ଓଝା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


