ପଞ୍ଚମହାଭୂତରେ ଲୀନ ହେଲା ଛାତ୍ର ଯୁବରାଜଙ୍କ ପାର୍ଥିବ ଶରୀର

ବୁଗୁଡା, (ଅନିଲ କୁମାର ମହାରଣା):ଗତକାଲି ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଯୁବରାଜ ସେଠୀ ସ୍କୁଲରୁ ଫେରିବା ସମୟରେ ଅଟୋରୁ ଖସି ପଡି ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଶନିବାର ଦିନ ପରିବାରକୁ ମର ଶରୀର ହସ୍ତାନ୍ତର କରିଥିଲେ। କୁଞ୍ଜବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ସେଠୀଙ୍କ ପୁତ୍ର ଯୁବରାଜ ସେଠୀଙ୍କ ମର ଶରୀର ପହଞ୍ଚିବା ପରେ ବୁଗୁଡ଼ାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ମର ଶରୀରକୁ ଶ୍ମଶାନ ଭୂମିରେ ଶେଷ ଦର୍ଶନ କରିବାକୁ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ଗୋଲିଆ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାନ୍ତ ପ୍ରସାଦ ଜେନା, ବହୁ ଶିକ୍ଷକ ଯୋଗଦେଇ ସଂସ୍କାର କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। ପରେ ଯୁବରାଜଙ୍କ ପାର୍ଥିବ ଶରୀର ପଞ୍ଚମହାଭୂତରେ ଲୀନ ହୋଇଥିଲା। ପ୍ରଧାନ ଶିକ୍ଷକ ରଘୁନାଥ ସେଠୀଙ୍କ ବଡ ସନ୍ତାନ ପୁଅ ଯୁବରାଜଙ୍କ ଦେହାନ୍ତ ହୋଇଥିବା ବେଳେ ୮ ବର୍ଷର ଏକ ଝିଅ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡ଼ିଛି। ଏହି ଖବର ପାଇବା ପରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଶିକ୍ଷକ ରଘୁନାଥ ସେଠୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଶ୍ବାନ୍ତନା ପ୍ରଦାନ କରିଛନ୍ତି। ବିଧାୟକଙ୍କ ସହ ବିଜେଡି ବ୍ଲକ ସଭାପତି ମଦନ ଗୋପାଳ ଦୋରା, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, କେ.ତ୍ରିଲୋଚନ ଦୋରା, ଚିତ୍ରସେନ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ମୁକୁନ୍ଦ ନାୟକ, ସୁନୀଲ କୁମାର ପାଢୀ, ସୁବ୍ରତ ରାଖଲ ଦାସ ପ୍ରମୁଖ ମଧ୍ୟ ସମବେଦନା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ