ବନ୍ତରେ ସର୍ବପୁରାତନ ଦୁର୍ଗା ପୂଜା କଟକଣା ମଧ୍ୟରେ ଆରମ୍ଭ

ବନ୍ତ,(ଚାନ୍ଦିନୀ ମହାନ୍ତି) : କରୋନା କଟକଣା ମଧ୍ୟରେ ବନ୍ତ ପୁରୁଣା ବଜାରସ୍ଥିତ ସର୍ବପୁରାତନ ତଥା ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି । ସ୍ଥାୟୀ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୂଜାରେ ସୁଶିଲ ଦାସ ଓ ଲକ୍ଷ୍ମୀନାରାୟଣ ପାଣି ନିକଟସ୍ଥ ଗ୍ରାମ୍ୟ ପୋଖରୀରୁ କଳସ ଆଣିବା ପରେ ଘଟସ୍ଥାପନା କରାଯାଇଥିଲା । ଗୁରବାର ବିଲ୍ୱବୃକ୍ଷ ବୋଧନ ଓ ବିଲ୍ୱଧିବାସ କର୍ମ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଘଟନିମର୍ଜ୍ଜନ, ଦେବପତ୍ରିକା ପ୍ରବେଶ କର୍ମ ଶେଷ କରାଯାଇ ସପ୍ତମୀ ବିହିତ ପୂଜା ଆରମ୍ଭ ହୋଇଥିଲା । ପରମ୍ପରା ନୀତି ଅନୁଯାୟୀ କଖାରୁ ଛେଦ ସହ ସପ୍ତମୀ ବିହିତ ପୂଜା ସଂପୂର୍ଣ୍ଣ ହୋଇଥିଲା । ଶନିବାର ସକାଳେ ଅଷ୍ଟମୀ ବିହିତ ପୂଜା, ଅପରାହ୍ନ ସମୟରେ ସନ୍ଧି ପୂଜା, ସନ୍ଧିବଳୀ ପ୍ରକ୍ଷଣ ହେବ । ନବମୀ ପ୍ରାତଃରେ ନବମୀ ବିହିତ ପୂଜା ପରମ୍ପରା ରୀତି ଅନୁଯାୟୀ ଗ୍ରାମ ଦେବତୀ, ଦକ୍ଷିଣ ଚଣ୍ଡିଙ୍କର ପୂଜାର୍ଚ୍ଚନା, କଖାରୁ ଛେଦଦାନ, ଅପରାହ୍ନରେ ସଂପୂର୍ଣ୍ଣ କଖାରୁ ଛେଦନ କରାଯିବ । ପ୍ରାତଃ ସମୟରୁ ନବମୀ ବିହିତ ପୂଜା, ହୋମଯଜ୍ଞ, ଅପରାଜିତା ପୂଜନ ଓ ବିସର୍ଜ୍ଜନ କରାଯିବ । ପୂଜା କାର୍ଯ୍ୟରେ ଜଗବନ୍ଧୁ ଶତପଥି, ପୁସ୍ତକାଚାର୍ଯ୍ୟ ଲିଙ୍ଗରାଜ ମିଶ୍ର, ଗଂଗାଧର ପାଣି ପ୍ରମୁଖ ପୂଜକ ଦାୟୀତ୍ୱ ତୁଲାଉଛନ୍ତି । କରୋନା କଟକଣା ପାଇଁ ଚଳିତ ବର୍ଷ ସାଜସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇନାହିଁ । ଆସନ୍ତା ବୁଧବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ମହେନ୍ଦ୍ରନାଥ ମିଶ୍ର, ସଂପାଦକ ଅଶୋକ କୁମାର ବେହେରା କହିଛନ୍ତି । ପୂଜା କାର୍ଯ୍ୟରେ କମିଟିର ସମସ୍ତ ସଦସ୍ୟଙ୍କ ସମେତ ବନ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ