ମେଡିକାଲ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ଆତ୍ମହତ୍ୟା ସନ୍ଦେହ

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀର ମୋହନ ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ର ହିତେଷ୍ଣୁ ଦାସଙ୍କ ମୃତଶରୀର କ୍ୟାମ୍ପସ ପରିସରରୁ ଗତକାଲି ରାତିରେ ଉଦ୍ଧାର କରାଯାଇଛି । କଲେଜ କ୍ୟାମ୍ପସ ସ୍ଥିତ ଏକାଡେମୀ ବିଲ୍ଡିଂରୁ ଖସିପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୩ଟା ବେଳେ ଜଣେ କର୍ମଚାରୀ ନିଜର ସମ୍ପର୍କୀୟଙ୍କୁ ରେଳ ଷ୍ଟେସନରୁ ଆଣିବା ପାଇଁ ବାଇକ ଯୋଗେ କ୍ୟାମ୍ପସ ବାହାରକୁ ଆସୁଥିବା ବେଳେ ହିତେଷ୍ଣୁଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଏକାଡେମୀ ବିଲ୍ଡଂ ପାଶ୍ୱର୍ରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ଡାକ୍ତର ହିତେଷ୍ଣୁଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପଞ୍ଚନାମା ପରେ ବ୍ୟବଚ୍ଛେଦ ସହ ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ବ୍ୟବଚ୍ଛେଦ ପୂର୍ବରୁ ପରିବାର ଲୋକେ ତାଙ୍କର ଚକ୍ଷୁକୁ ଏଲ ବି ପ୍ରସାଦ ଚକ୍ଷୁ ଟ୍ରଷ୍ଟକୁ ଦାନ କରିଥିଲେ । ହିତେଷ୍ଣୁ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ଗତ କିଛିଦିନ ଧରି ହିତେଷ୍ଣୁ ନିରବ ରହିବା ଓ ରୁମମେଟଙ୍କ ବ୍ୟତୀତ କାହା ସହ କଥା ହେଉନଥଲେ ବୋଲି ସହପାଠୀମାନେ ପ୍ରକାଶ କରିଛନ୍ତି । ଏମିତିକି ଗତକାଲି ଅପରାହ୍ନ ସୁଦ୍ଧା ସେ ସମସ୍ତ ହ୍ୱାଟସଆପ ଗ୍ରୁପରୁ ଲେଫ୍ଟ ହୋଇଯାଇଥିଲା ବୋଲି ସେମାନେ ସୂଚନା ଦେଇଛନ୍ତି । ତେବେ ପ୍ରକୃତରେ ହିତେଷ୍ଣୁ ଆତ୍ମହତ୍ୟା କରିଛନ୍ତି କିମ୍ବା ଅନ୍ୟ କୌଣସି କାରଣ ପାଇଁ ତାଙ୍କର ଜୀବନ ଯାଇଛି, ଯଦି ଆତ୍ମହତ୍ୟା କରିଛନ୍ତି, ତାହାଲେ କ’ଣ ପାଇଁ ଏଭଳି ନିଷ୍ପତ୍ତି ନେଲେ, ସେ ସମ୍ପର୍କରେ ଏ ବାବଦରେ ଉଚିତ ତଦନ୍ତ ପାଇଁ ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ