ଲଗାଣ ବର୍ଷାରେ ଭାସିଲା ଗାଁ’ଠୁ ସହର: ଟିଳଲା ମରୁଡ଼ି ଆଶଙ୍କା, ଚାଷୀକୂଳ ଆଶ୍ୱସ୍ତ
ବାଲେଶ୍ୱର, (ସରୋଜ ପଣ୍ଡା ): ଲଘୁଚାପ ପ୍ରଭାବରେ ଗତ ୪୮ ଘଣ୍ଟାର ଲଗାଣ ବର୍ଷାରେ ସମଗ୍ର ବାଲେଶ୍ୱର ଜିଲାର ଗାଁ’ଠୁ ସହର ଭାସିଥିଲେ ବି ଚାଷୀକୂଳ ବେଶ ଆଶ୍ୱସ୍ତି ହୋଇଛି । ଗତ ଜୁଲାଇ ଓ ଅଗଷ୍ଟ ମାସରେ ଜିଲାର ସ୍ୱଳ୍ପ ବୃଷ୍ଟି ପାଇଁ ଚାଷୀମାନେ ଚିନ୍ତିତ ହୋଇପଡିଥିବା ବେଳେ ସେପ୍ଟେମ୍ବର ମାସରେ ଆବଶ୍ୟକ ପରିମାଣ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପ୍ଟେମ୍ବର ମାସର ପ୍ରଥମ ୧୪ ଦିନରେ ବର୍ଷାର ପରିମାଣ ୨୪୨.୩୪ ମିମି ରେକର୍ଡ କରାଯାଇଛି । ଏଥିରେ ୬ ତାରିଖରୁ ୯ ତାରିଖ ମଧ୍ୟରେ ହାରାହାରି ୯୦.୬୨ ମିମି ବର୍ଷା ହୋଇଥିବା ବେଳେ ୧୧ ତାରିଖରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ସମଗ୍ର ଜିଲ୍ଲାରେ ହାରାହାରି ୧୩୭.୫୬ ମିମି ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗର ସୂଚନାରୁ ଜଣାପଡିଛି । ଗତ ଦୁଇ ସପ୍ତାହ ମଧ୍ୟରେ ଜଳେଶ୍ୱର ବ୍ଲକରେ ସର୍ବାଧିକ ୩୧୫ମିମି ବର୍ଷା ହୋଇଥିବା ବେଳେ ବାଲିଆପାଳ ବ୍ଲକରେ ୩୦୭ମିମି, ରେମୁଣାରେ ୨୭୨ମିମି, ବସ୍ତାରେ ୨୫୩ମିମି, ସଦର ବ୍ଲକରେ ୨୪୯ମିମି, ସିମୁଳିଆରେ ୨୪୭ମିମି, ଭୋଗରାଇରେ ୨୪୩ମିମି, ଖଇରାରେ ୨୩୭ମିମି, ନୀଳଗିରିରେ ୨୧୫ମିମି, ସୋରରେ ୨୧୩ମିମି, ଔପଦାରେ ୧୮୮ମିମି ଓ ବାହାନଗା ବ୍ଲକରେ ୧୬୯ମିମି ବର୍ଷା ହୋଇଥିବା ସୂଚନା ମିଳିଛି । ତେବେ ସେପ୍ଟେମ୍ବର ମାସରେ ଜିଲାରେ ହାରାହାରି ବର୍ଷାର ପରିମାଣ ୨୬୮ମିମି ଥିବା ବେଳେ ଆସନ୍ତା ୧୫ଦିନ ମଧ୍ୟରେ ଏହା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ଲଘୁଚାପ ଜନିତ ଲଗାଣ ବର୍ଷା ଖରିଫ ଚାଷ ପାଇଁ ବେଶ ବେଶ ଅନୁକୂଳ ସ୍ଥିତି ସୃଷ୍ଟି କରିଥିବା ବେଳେ ବାଲେଶ୍ୱର ସହର ବେହାଲ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଛି । ଏହି ବର୍ଷାରେ ବାଲେଶ୍ୱର ଜିଲାର ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ୬.୩୯ ମିଟରରେ ପ୍ରବାହିତ ହେଉଥିବା ବେଳେ ବୁଢ଼ାବଳଙ୍ଗ ସତର୍କ ସୂଚନାଙ୍କ ଉପରେ ଅର୍ଥାତ ୭.୪୪ ମି. ଓ ସୁବର୍ଣ୍ଣରେଖାରେ ଜଳସ୍ତର ସତର୍କ ସଚୂନାଙ୍କ ନିକଟତର ହେଉଥିବା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାପଡ଼ିଛି । ଅନବରତ ବର୍ଷା ଲାଗି ରହିବା ଫଳରେ ବାଲେଶ୍ୱର ସହରର ମହାନାଳ ଓ ଶାଖା ନାଳରେ ପାଣି ନିଷ୍କାସନ ହୋଇପାରି ନଥିଲା । ବିଶେଷ କରି ବର୍ଷା ଜଳ ନିଷ୍କାସନ ହୋଇ ନ ପାରିବାରୁ ସହରର ସିନେମା ସ୍ଥଳ, କଂଗ୍ରେସ ଅଫିସ ଗଳି, ଆଜିମାବାଦ, ହସ୍ପିଟାଲ ନିକଟସ୍ଥ ଆଦ୍ୟାଶକ୍ତି ମନ୍ଦିର, ଅଙ୍ଗାରଗଡ଼ିଆ, ସୁଏଲପୁର, ଚିଡିଆପୋଲ, ଗୋପାଳଗାଁ, ପ୍ରଜ୍ଞାଭାରତୀ ସ୍କୁଲ ରାସ୍ତା, ଗୁଡ଼ିପଦା, ନୂଆସାହି ମୁଖ୍ୟ ରାସ୍ତା, ମାନସିଂହ ବଜାର, କାଦରାବାଦ ନିମିକି ରାସ୍ତା, ଶୋଭାରାମପୁରର ଉତ୍ତମନଗର, ବାଲିଆ ଦୁର୍ଗାମଣ୍ଡପ ପାଖ ରାସ୍ତା, ନେଳିଆବାଗ ରାସ୍ତା, ଦରଜୀପୋଖରୀ-ଚୂନଭାଟି ରାସ୍ତା, ବାରବାଟି ମଣ୍ଡଳବଜାର, ଗୋପାଳ ଗାଁର ଶ୍ରୀନିବାସ କଲୋନୀ, ଫାଣ୍ଡି ଛକ ନିକଟସ୍ଥ ନିୟୁ ମାର୍କେଟ ଆଦି ସ୍ଥାନରେ ଆଣ୍ଠୁଏ ପାଣି ଜମିଥିଲା । ନର୍ଦ୍ଦମା ପାଣି କେଉଁଠି ଦୋକାନରେ ପଶିଥିଲା ତ ଆଉ କାହା ଘରେ । ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଚିଡ଼ିଆପୋଲ ଅଂଚଳରେ ନର୍ଦ୍ଦମା ଜଳ ଦୋକାନରେ ପଶି ଇହଡ଼ି ଭାଙ୍ଗିଥିଲା । ହସ୍ପିଟାଲର ବର୍ଜ୍ୟବସ୍ତୁ ପାଣି ଆଦ୍ୟାଶକ୍ତି ମନ୍ଦିରଠୁ ସିନେମା ଛକ ଯାଏ ନର୍ଦ୍ଦମା ପାଣି ସୁଅ ଛୁଟିଥିଲା । ସୁଏଲପୁର ମୀର୍ଜାପୋଖରୀ ରସ୍ତାରେ ୪ ଫୁଟ୍ ଉଚ୍ଚର ଡ୍ରେନପାଣି ପ୍ରବାହିତ ହୋଇଥିଲା ।ସହରର ସ୍ଥାନେ ସ୍ଥାନେ ମହାନାଳ ଓ ଶାଖାନାଳଗୁଡ଼ିକ ଜବରଦଖଲକାରୀଙ୍କ କବଜାରେ ରହିବା କାରଣରୁ ଏଭଳି ପରିସ୍ଥତି ଉପୁଜିଥିବା ବିଭିନ୍ନ ମହଲରୁ ଆରୋପ ଉଠାଇଛନ୍ତି । ଏନେଇ ପୌରପାଳିକା ନିର୍ବାହୀ ଅଧିକାରୀ ତଥା ବାଲେଶ୍ୱର ଉପ-ଜିଲାପାଳଙ୍କ ବାରମ୍ବାର ଆପତ୍ତି କରାଯାଛି । ଏହା ସତ୍ତ୍ୱେ ନାଳ ଗୁଡିକର ମରାମତି ଓ ଅବରୋଧ ଉଚ୍ଛେଦ ନେଇ କୌଣସି ପଦକ୍ଷେପ ନିଅଯାଉ ନଥିବା କେତେକ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ବିପର୍ଯ୍ୟସ୍ତ ସହରର ନିଷ୍କାସନ ବ୍ୟବସ୍ଥାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନଙ୍କ ପକ୍ଷରୁ ବିକ୍ଷୋଭ ଧାରଣା ପ୍ରଭୃତି ହେଉଛି । ମାତ୍ର ଅଦ୍ୟାବଧି ଏହାର କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ ।


