ଲୋପପାଉଛି ଦେଶୀ ଧାନ

ନିମାପଡା, (ସନ୍ତୋଷ ଦାଶ):ଦିନ ଥିଲା କଂସା ରେ ପଖାଳ ବାଢ଼ିଦେଲେ ମହ ମହ ବାସୁଥିଲା। ଏବେ ଆଉ ସେ ସମୟ ନାହିଁ। ଲାଭ ମିଳୁନଥିବାରୁ ଚାଷୀ ମାନେ ଦେଶୀ ଧାନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅଧିକ ଅମଳକ୍ଷମ ହାଇବ୍ରିଡ ଧାନ ଚାଷ କରି ଚାଷୀ ମାନେ ବେଶ ଲାଭବାନ ହୋଇ ପାରୁଛନ୍ତି।ମଞ୍ଜି, ବିହନ ଦୋକାନ କରିଥିବା ଗୋକୁଳି ସାହୁ କୁହନ୍ତି ଯେ, ରବି ଓ ଖରିଫ ୠତୁ ରେ ଚାଷୀ ମାନେ ପୂର୍ବରୁ ଚମ୍ପା, ଭୂତିଆ, ଖଜରା, ଲଲାଟ, ଚକାଆଖି, ତୁଳସୀ, ରାଜବଲ୍ଲଭ ,ଗେଟିରଙ୍ଗୀ, କଳାସୁରା, ହଜାରଚଉଦ,ରତ୍ନଚୁଡ଼ି,ମୟୂରକଣ୍ଠିଆ, କନ୍ଦାମୂଳ, ବଙ୍ଗି, ସମଲାଇ, ବାଙ୍କୋଇ, କାକୁଡିମଞ୍ଜି, ବରକଟିଆ,ମହେଶ୍ୱରୀ ପ୍ରଭୃତି ଦେଶୀ ଧାନ ଚାଷ କରୁଥିଲେ। ଦେଶୀ ଧାନ ର ଚାଉଳ ରେ ପ୍ରସ୍ତୁତ ପଖାଳ ବାସ୍ନା ହେଉଥିଲା। ଏବେ ଚାଷୀ ମାନେ ଅଧିକ ଅମଳକ୍ଷମ, ରୋଗ ପୋକ କମ ଲାଗୁଥିବା ହାଇବ୍ରିଡ ଧାନ ଚାଷ କରି ବେଶ ଲାଭବାନ ହୋଇପାରୁଛନ୍ତି। ଧନୀଡିଟି , ମାଳିଫୋର, ବ୍ଲାକଡାଇମଣ୍ଡ,ବଙ୍ଗବନ୍ଧୁ ୱାନ, ଟ୍ରମ୍ପ,ବାବନ ୩୧/୪୦୩, କାବେରୀ ୪୭୧/ ୪୬୮, ସିନ୍ଧୁ, ମାଳି ହିରୋ ୨, ଗୋଲ୍ଡ ୬୧୨୯ କିସମ ର ଧାନଚାଷ କରିବାକୁ ଚାଷୀ ମାନେ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି। ଏକ ଏକର ବିଲ ରୁ ଦେଶୀ ଧାନ ୨୦/୨୫ କୁଇଣ୍ଟାଲ ଅମଳ ହେଉଥିବାବେଳେ ହାଇବ୍ରିଡ ଧାନ ୩୫/୩୮ କୁଇଣ୍ଟାଲ ଅମଳ ହେଉଛି। ଦେଶୀ ଧାନ ଫସଲ ଅପେକ୍ଷା ହାଇବ୍ରିଡ ଧାନଚାଷ ରେ କମ ପୋକ, ରୋଗ ଦେଖାଯାଉଛି। ଏଣୁ ଚାଷୀ ମାନେ ଦେଶୀ ଧାନ ବଦଳରେ ହାଇବ୍ରିଡ ଧାନଚାଷ କରୁଛନ୍ତି। ଏବେ ଦେଶୀ ଧାନ ଚାଷ ହେଉ ନ ଥିବାରୁ ବଜାର ରେ ଆଉ ଦେଖିବାକୁ ମିଳୁନି।କିଛି ଚାଷୀ ଓ ଥିଲାବାଲା ଲୋକ ନିଜସ୍ଵ ଜମି ରେ ନିଜସ୍ଵ ବ୍ୟବହାର ପାଇଁ ଅଳ୍ପ ପରିମାଣ ର ଦେଶୀ ଧାନ ଚାଷ କରୁଛନ୍ତି ବୋଲି କହିଛନ୍ତି କୃଷି ବୈଜ୍ଞାନିକ ପଣ୍ଡିତ ତ୍ରିଲୋଚନ ମିଶ୍ର। ଧାଡ଼ିରୁଆଁ ଧାନ ଚାଷ ପାଇଁ ସରକାର ଯେପରି ଚାଷୀ ମାନଙ୍କୁ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି ସେପରି ଭାବରେ ଦେଶୀ ଧାନ ଚାଷ କରୁଥିବା ଚାଷୀ ମାନଙ୍କୁ ଯଦି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ତେବେ ଏହି ଅଞ୍ଚଳ ରେ ଚାଷୀ ମାନେ ଦେଶୀ ଧାନଚାଷ କରିବାକୁ ଆଗଭର ହୁଅନ୍ତେ। ନହେଲେ ସମୟ ଆସିବ ଦେଶୀ ଧାନ ଏହି ଅଞ୍ଚଳ ରୁ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ