ଅଣ୍ଡାଦିଆ କୁକୁଡା ପାଳନ ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଡିପ୍ ଲିଟର ପଦ୍ଧତିରେ ଅଣ୍ଡାଦିଆ କୁକୁଡା ପାଳନ ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ଗୋଷାଣୀ, ଗୁମ୍ମା, କାଶୀନଗର ଓ ରାୟଗଡ ବ୍ଲକର ୨୫ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିବାର ଜଣାପଡିଛି । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀନିବାସ ସାହୁ, ଅତିରିକ୍ତ ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନାରାୟଣ ମହାପାତ୍ର ଜିଲ୍ଲା ପ୍ରାଣୀଧନ ପ୍ରଶିକ୍ଷଣ ସଂଯୋଜକ ଡାକ୍ତର ଅଭିଜିତ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ । ଏହି ଡିପ୍ ଲିଟର ମାଧ୍ୟମରେ ୨୦୦କ୍ଷମତା ବିଶିଷ୍ଟ ଅଣ୍ଡା ଦିଆ କୁକୁଡା ପାଳନ ଯୋଜନାରେ ଜିଲ୍ଲାର ୨୭ଗୋଟି ମହିଳା ସ୍ୱୟଂ ସହାୟ ଗୋଷ୍ଟୀକୁ ଚୟନ କରାଯାଇ ଥିବା ବେଳେ ୨୦୦ କ୍ଷୁଦ୍ର ଲେୟର ୟୁନିଟ ଧାର୍ଯ୍ୟ ହୋଇଛି । ମୁଖ୍ୟତଃ କୋରନା ମହାମାରୀ ମୁକାବିଲା ସମୟରେ ପ୍ରାଣୀସମ୍ପଦର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବୋଲି ଜଣାପଡିଛି । କରୋନା ମହାମାରୀ ସମୟରେ ମହିଳାମାନଙ୍କୁ କର୍ମ ସଂସ୍ଥାନ ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଡିପ୍ ଲିଟର୍ ମାଧ୍ୟମରେ ୨୦୦ କ୍ଷମତା ବିଶିଷ୍ଟ ଅଣ୍ଡା ଦିଆ କୁକୁଡା ପାଳନ’ ନିମନ୍ତେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ସହାୟତା ଯୋଜନା କାର୍ଯ୍ୟକରିଥିବାର ଜଣାପଡିଛି । କୁକୁଡା ଘର, କୁକୁଡା ଚିଆଁ ଏବଂ ଆନୁସାଙ୍ଗିକ ଖର୍ଚ୍ଚ ମିଶାଇ ଏହି ଯୋଜନାରେ ୟୁନିଟ୍ ପିଛା ୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ୪ ସପ୍ତାହ ବୟସର ୨୦୦ ଗୋଟି କଳିଙ୍ଗ ବ୍ରାଉନ୍ କିମ୍ବା ରୋଡ୍ ଆଇଲାଣ୍ଡ ରେଡ୍ ପ୍ରଜାତିର ଅଣ୍ଡାଦିଆ କୁକୁଡା ପାଳନ କରିବା ପାଇଁ ସହାୟତା ପାଇବେ । ସରକାର ପ୍ରତ୍ୟେକ ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ୧ ଲକ୍ଷଟଙ୍କା (ଖର୍ଚ୍ଚ ଅଟକଳର ୫୦ ପ୍ରତିଶତ) ରିହାତି ଆକାରରେ ପ୍ରଦାନ କରିବେ । କୁକୁଡା ଘର ତିଆରି ହେଲା ପରେ ରିହାତିର ୪୦ ପ୍ରତିଶତ ଓ ପ୍ରକଳ୍ପ ସଂପୂର୍ଣ୍ଣ ହେଲା ପରେ ରିହାତିର ଅବଶିଷ୍ଟ ୬୦ ପ୍ରତିଶତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହେବ । ବ୍ଲକସ୍ତରୀୟ କମିଟି ଓ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନ କରାଯିବ ବୋଲି ସୂଚନା ଦିଆଯାଇଛି । ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇ ଜୀବିକା ନିର୍ବହ କରିବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଶ୍ରୀନୀବାସ ସାହୁ ନିବେଦନ କରିଛନ୍ତି ।


