ଗଜପତିରେ ବିନା ପଲ୍ଲୀସଭାରେ ବାଲି ଉଠାଣ ଟେଣ୍ଡର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ତହସିଲ ଅନ୍ତର୍ଗତ କରଡାସିଙ୍ଗି ଗ୍ରାମପଞ୍ଚାୟତ ବୁରୁଜାଙ୍ଗ ଗ୍ରାମରେ ମହେନ୍ଦ୍ରତନୟା ନଦୀ ପଠାରୁ ୯.୨୨୭ ହେକ୍ଟର ପରିମିତ ଅଞ୍ଚଳରେ ବାର୍ଷିକ ୨୦୮୦ ଘନ ମିଟର ବାଲି ଉତ୍ତୋଳନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରଡାସିଙ୍ଗ ଗ୍ରାମପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିନା ପଲ୍ଲୀସଭାରେ ବାଲି ଉଠାଣ ଟେଣ୍ଡର ଦେବା ନେଇ ନିର୍ବାଚିତ ପ୍ରତିନିଧି ସମେତ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଲୋକଙ୍କ ଅଭିଯୋଗ ପ୍ରକାରେ ଉକ୍ତ ବାଲି ଉତ୍ତୋଳନ ଜାଗା କରଡାସିଂଙ୍ଗି ଗ୍ରାମପଞ୍ଚାୟତ ଅଧୀନରେ ରହିଛି । ତେଣୁ ପଞ୍ଚାୟତ ସ୍ତରରେ କୌଣସି ପଲ୍ଲୀସଭା କି ଗ୍ରାମସଭା ନ କରି ଟେଣ୍ଡର ଆହ୍ୱାନ କରାଯାଇଥିବାରୁ ଏହା ବେଆଇନ ଅଟେ । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମ ବିଷୟରେ ପଞ୍ଚାୟତବାସୀ ଅବଗତ ନାହାନ୍ତି । ତେଣୁ ସମସ୍ତଙ୍କୁ ଅବଗତ କରାଇ ଟେଣ୍ଡର କରାଗଲେ ପଞ୍ଚାୟତବାସୀ ଉପକୃତ ହେବେ ବୋଲି ଅନେକ ଲୋକେ ମତବ୍ୟକ୍ତ ଦେଇଥିଲେ । ଏହାକୁ ନେଇ ଦୁଃଖ ପ୍ରକାଶ କରିବା ସହ କୌଣସି ପଲ୍ଲିସଭା ଓ ଗ୍ରାମସଭାରେ ଆଲୋଚନା କରାଯାଇନଥିବା ଘଟଣାକୁ ସ୍ଥାନୀୟ ସରପଞ୍ଚ ପ୍ରତିମା ବିଶ୍ୱାଳ ସ୍ୱୀକାର କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୨୦୧୬-୧୭ ମସିହାରେ ବୁରୁଜାଙ୍ଗ ମହେନ୍ଦ୍ରତନୟା ନଦୀ ପଠାରୁ ବାଲି ଉଠାଣ ସକାଶେ ଏକମାତ୍ର ଜାଗା ଚିହ୍ନଟ ହୋଇ ନିଲାମ ପ୍ରକ୍ରିୟା କରାଯାଇ ଅନିତା ମହାଙ୍କୁଡ ନିଲାମ ପାଇଥିଲେ । କିନ୍ତୁ ସେତେବେଳେ ଉକ୍ତ ଅଞ୍ଚଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବି୨ ଶ୍ରେଣୀଭୁକ୍ତ ରହିଥିବାରୁ ଏହାକୁ ବାଲି ଉଠାଣ ପାଇଁ ମଞ୍ଜୁରୀ ମିଳିନଥିଲା । ବର୍ତ୍ତମାନ ଏହା ବି୧ ଶ୍ରେଣୀଭୁକ୍ତଙ୍କୁ ଏହି ଟେଣ୍ଡର ଦିଆଯାଇଥିବା ସୂଚନା ମିଳିଛି । ପ୍ରଶାସନ ଟେଣ୍ଡରକୁ ଠିକ୍ ଭାବେ କରାଯାଇଥିବା ପ୍ରକାଶ କରିଥିବା ବେଳେ ଲୋକେ ବିନା ପଲ୍ଲୀସଭାରେ ବାଲି ଉଠାଣ ଟେଣ୍ଡର ଦିଆଯିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।


