କେନାଲ ପାଲଟିଛି ଡମ୍ପିଂୟାଡ : ଚାଷୀ କେନାଲ ପାଣି ପାଇବା ନେଇ ଆଶଙ୍କା

ନିମାପଡ଼ା (ସନ୍ତୋଷ ଦାଶ) :-ମୌସୁମୀ ଆସିଯାଇଥିବାରୁ ଚାଷୀକୂଳ ଆନନ୍ଦିତ ହୋଇପଡ଼ି ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଆଗଭର ହୋଇ ପଡିଛନ୍ତି । ସବୁ ସ୍ଥାନରେ ସମାନ ପରିମାଣ ର ବର୍ଷା ହେଉନଥିବାରୁ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳ ର ଶହ ଶହ ଚାଷୀ ଚାଷ ପାଇଁ କେନାଲ ପାଣି ଉପରେ ନିର୍ଭରଶୀଳ । କିନ୍ତୁ କାକଟପୁର ଜଳ ସେଚନ ଉପଖଣ୍ଡ ଅନ୍ତର୍ଗତ ପ୍ରାୟ ସବୁ ମୁଖ୍ୟ କେନାଲଏବେ ଡମ୍ପିଂୟାଡ ପାଲଟିଛି । ତେଣୁ କେନାଲ ରେ ପାଣି ଆସିଲେ କେନାଲ ର ଶେଷମୁଣ୍ଡ ରେ ପହଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଭିନ୍ନ ବଜାର ନିକଟରେ ବ୍ୟବସାୟୀ ମାନେ ଅଳିଆ ଆବର୍ଜ୍ଜନା ଗୁଡ଼ିକୁ କେନାଲ ଭିତରକୁ ପକାଇ ଦେଉଥିବାରୁ କେନାଲ ଗୁଡ଼ିକ ଅଳିଆ ଆବର୍ଜ୍ଜନା ରେ ଭର୍ତ୍ତି ହୋଇଯାଇଛି । କିଛି ବ୍ୟବସାୟୀ କେନାଲ କୁ ଡ୍ରେନ ଭାବେ ବ୍ୟବହାର କରୁଥିବାରୁ କେନାଲ ଗୁଡ଼ିକ ଦିନକୁ ଦିନ ପୋତି ହୋଇ ପଡ଼ୁଛି। କାକଟପୁର ଓ ଅସ୍ତରଙ୍ଗ ମୁଖ୍ୟକେନାଲ ଏବେ ଡମ୍ପିଂୟାଡ ରେ ପରିଣତ ହୋଇଛି । କିଛି ବ୍ୟକ୍ତି କେନାଲ ବନ୍ଧ କୁ ପୋତି କେନାଲ ଅପର ପାର୍ଶ୍ଵ ରେ ଥିବା ନିଜ ଜାଗା ରେ ଗୃହ ନିର୍ମାଣ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ନିମାପଡା- କାକଟପୁର ମୁଖ୍ୟ ରାସ୍ତା ର ଅମରେଶ୍ଵର, ଆଳୁଦଣ୍ଡାପାଟଣା, ଯୋଗେଶ୍ଵରପୁର, ନୁଆହାଟ, ପାଣିଛତ୍ର ପ୍ରଭୃତି ସ୍ଥାନ ରେ ମୁଖ୍ୟ ରାସ୍ତା କଡ଼ରେ ଥିବା କେନାଲ ଗୁଡ଼ିକ ର ଚିହ୍ନବର୍ଣ୍ଣ ଆଉ ଦେଖିବାକୁ ମିଳୁନି । ସେମାନେ ଶାସକ ଦଳ ର ସମର୍ଥକ ଓ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଜଳସେଚନ ବିଭାଗ ଅଧିକାରୀ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନଥିବା ଶତାଧିକ ଚାଷୀ ଅଭିଯୋଗ କରୁଛନ୍ତି। କେନାଲ ମରାମତି, ସଫେଇ ନାମରେ ପ୍ରତିବର୍ଷ ଜଳସେଚନ ବିଭାଗ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବାବେଳେ ପ୍ରକୃତପକ୍ଷେ ଚାଷୀ ମାନେ ଠିକ୍ ଭାବେ କେନାଲ ରେ ପାଣି ପାଇପାରୁନାହାନ୍ତି । କିନ୍ତୁ ଚାଷୀମାନଙ୍କ ଠାରୁ ଜଳକର ରାଜସ୍ୱ ବିଭାଗ ଆଦାୟ କରି ଚାଲିଛି ବୋଲି କହିଛନ୍ତି ଅର୍ଜୁନ ପାତ୍ର, ଡମ୍ବରୁ ପାଣି, ସରୋଜ ମହାନ୍ତି ପ୍ରମୁଖ ଚାଷୀ। ଏ ସଂପର୍କ ରେ କାକଟପୁର ଜଳସମ୍ପଦ ବିଭାଗ ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କୃପାସିନ୍ଧୁ ଷଡ଼ଙ୍ଗୀ ଙ୍କୁ ପଚାରିବାରୁ ଖରିଫ ଚାଷ ପୂର୍ବରୁ କେନାଲ ସବୁ ସଫା କରାଯିବା ବୋଲି ସଫେଇ ଦେବା ସହିତ କେନାଲ ପୋତାଯିବା ଘଟଣା ର ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ