ଆସନ୍ତା ମାସରୁ ଛଅଦିନ ବହିର୍ବିଭାଗ ଓ ଦୁଇବର୍ଷରେ ସେଟେଲାଇଟ୍ ସେଣ୍ଟର କାର୍ଯ୍ୟକ୍ଷମର ପ୍ରତିଶ୍ରୁତି
ବାଲେଶ୍ୱର, (ସରୋଜ ପଣ୍ଡା) : ଆସନ୍ତା ମାସରୁ ଏମ୍ସର ବହିର୍ବିଭାଗ ସପ୍ତାହକୁ ଛଅଦିନ କାର୍ଯ୍ୟକ୍ଷମ କରାଯିବ ଓ ଆସନ୍ତା ଦୁଇବର୍ଷ ମଧ୍ୟରେ ଏମ୍ସ ସେଟେଲାଇଟ୍ ସେଣ୍ଟର୍ରେ ପ୍ରସ୍ତାବିତ ସେଟେଲାଇଟ୍ ସେଣ୍ଟର ଓ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବ ବୋଲି ଶନିବାର ଦିନ ପୂର୍ବାହ୍ନରେ ଭୁବନେଶ୍ୱରରୁ ଆସିଥିବା ଉଚ୍ଚ ଅଭିଜ୍ଞ ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି । ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଡା. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ବାଲେଶ୍ୱର ଆସିଥିବା ମେଡିକାଲ୍ ଅଧିକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତି, ଡା. ଅଶୋକ ଜେନା, ଡା. ମୁକୁନ୍ଦ ସାହୁ, ଡା. ଦାସ ମଜୁମଦାର ଓ ଅଧିକ୍ଷକ ଇଂ. କେ.ପି. ମିଶ୍ର ପ୍ରମୁଖ ବାଲେଶ୍ୱର ସରକାରୀ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନଙ୍କ ସହ ଆଲୋଚନାବେଳେ ଏହା ପ୍ରକାଶ କରିଛନ୍ତି । ଏଥିପାଇଁ ଦ୍ରୁତବେଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ଭାରତ ବର୍ଷର ପ୍ରଥମ ସେଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଏଥିପାଇଁ ଏମ୍ସ କର୍ତ୍ତୃପକ୍ଷ ଓ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଡାକ୍ତର ବିଶ୍ୱାସ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ୭ଦଫା ଦାବିପତ୍ର ପ୍ରତି ଏମ୍ସ କର୍ତ୍ତୃପକ୍ଷ ଅବଗତ ଅଛନ୍ତି ଓ ସେହି ଦାବିଗୁଡ଼ିକୁ ଗୁରୁତ୍ୱ ଦିଆଯାଇଛି ଓ ସପ୍ତାହକୁ ଛଅଦିନ ବହିଃବିଭାଗ କାର୍ଯ୍ୟକ୍ଷମ ହେବା ସମୟରୁ ହିଁ ସମସ୍ତ ରୋଗ ନିରୂପଣର ଯନ୍ତ୍ରପାତି,ବିଶେଷଜ୍ଞ ଏବଂ ହୃଦରୋଗ, ସ୍ନାୟୁ ରୋଗଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କୁ ବହିର୍ବିଭାଗରେ ସେବା ଯୋଗାଇବା ପାଇଁ ଉଦ୍ୟମ କରାଯିବ ବୋଲି ଡାକ୍ତର ବିଶ୍ୱାସ ପ୍ରତିଶ୍ରୁତି ଦେଇଥିଲେ । ସାକ୍ଷାତ ଆଲୋଚନା ପରେ କ୍ରିୟାନୁଷ୍ଠାନ କମିଟି ଓ ଏମ୍ସର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା । ଭୁବନେଶ୍ୱରରୁ ଆସିଥିବା ଏମ୍ସର ଅଧିକାରୀମାନଙ୍କ ସମେତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ମମତା ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ପ୍ରଦୀପ ଦାସ, ରୋଗୀ କଲ୍ୟାଣ ସମିତିର ସଦସ୍ୟ ତଥା ବରିଷ୍ଠ ରୋଟାରୀୟାନ୍ ସୁବ୍ରତ କରଙ୍କ ସମେତ ପ୍ରଫେସର ଅନନ୍ତ ପ୍ରଧାନ, ପ୍ରଭାକର ସାହୁ, ନିରଞ୍ଜନ ରାଉତ, ପ୍ରଫୁଲ୍ଲ କୁମାର ଦାସ, ରମେଶ ଚନ୍ଦ୍ର ଜେନା, ପ୍ରମିତା ଦାସ, ଶଶାଙ୍କ ଦତ୍ତ, ଯୋଗେଶ ଚନ୍ଦ୍ର ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ଡ. କ୍ଷିତିଶ୍ୱର ଦାଶ, ସଚିନ୍ଦ୍ର ଦାସ, କଳ୍ପନା ମହାନ୍ତି, ଗୀତାଞ୍ଜଳି ସିଂହ, ଛବିରାଣୀ ଦାସ, ଯୋଗେନ୍ଦ୍ର ମାହାର୍ଣ୍ଣା, ଜଗତାନନ୍ଦ ବିଶ୍ୱାଳ, ଶ୍ୟାମସୁନ୍ଦର ଜେନା, ଜଗବଂଧୁ ଦଳାଇ, ପ୍ରଫୁଲ୍ଲ କୁମାର ସେଠୀ, ଶାନ୍ତିବାଳା ମହାନ୍ତି ଓ ସତ୍ୟରଞ୍ଜନ ବେହେରା ପ୍ରମୁଖ ଉଭୟ କର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


