ଉତ୍କଳମଣ ଗୋପବନ୍ଧୁଙ୍କ ଜୀବନାଦର୍ଶ ସମ୍ପର୍କିତ ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :-ସେବା-ତ୍ୟାଗ ତଥା ପ୍ରକୃତ ମାନବବାଦର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥି ଅବସରରେ ‘ସମାଜ’ ପରିବାର ପକ୍ଷରୁ ଗତ ୨୯ ତାରିଖରୁ ରାଜ୍ୟବ୍ୟାପୀ ଆରମ୍ଭ ରହିଥିବା ସେବା ଓ ସେବକ ସପ୍ତାହ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ପକ୍ଷରୁ ଉତ୍କଳମଣିଙ୍କ ଜୀବନାଦର୍ଶ ସମ୍ପର୍କିତ ଏକ ଆଲୋଚନା ସଭା ସ୍ଥାନୀୟ ଜିଲାସ୍କୁଲ ପରିସରରେ ଆଜି ଅପରାହ୍ଣରେ ଅନୁଷ୍ଠିତ ହୋଇଥିଲା । ଜିଲା ଶିକ୍ଷାଧିକାରୀ ବିଷ୍ଣୁ ପ୍ରସାଦ ସୂତାର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଚିନ୍ତା ଚେତନା, ତ୍ୟାଗ ଓ ସେବା ଧାରା ସହ ଉତ୍ତର ପିଢ଼ିକୁ ସଂଯୋଗ କରିବା ନେଇ ‘ସମାଜ’ର ପ୍ରୟାସ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ସେହି ଯୁଗପୁରୁଷଙ୍କ ଦ୍ୱାରା ପ୍ରତିଷ୍ଠିତ ଖବର କାଗଜ ସମାଜ ମଧ୍ୟ ସତ୍ୟ ଓ ନିରପେକ୍ଷତାକୁ ଭିତ୍ତି କରି ୧୦୩ ବର୍ଷ ଧରି ପ୍ରକାଶିତ ହୋଇଚାଲିଛି । ମଣିଷର ହୃଦୟକୁ ଚିହ୍ନୁଥିବା ଏହି ମହାପୁରୁଷଙ୍କର ଅନ୍ୟ ପାଇଁ ବଞ୍ଚିବାର ସିଦ୍ଧାନ୍ତକୁ ସମସ୍ତେ ଅନୁଭବ କରିବା ଉଚିତ ବୋଲି କହିଥିଲେ । ସେବା, ଭକ୍ତି, ଦେଶପ୍ରୀତି ଥିବା ଏହି ଦରଦୀ ମଣିଷ ସତ୍ୟରୁ କେବେ ବିଚ୍ୟୁତ ହୋଇ ନଥିଲେ । ନିଜର କର୍ମ ପାଇଁ ସେ ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ଆଜି ବି ଜୀବତ ହୋଇ ଅଛନ୍ତି । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଉତ୍କଳମଣିଙ୍କ ନୀତି ଆଦର୍ଶକୁ ଗ୍ରହଣ କରି ଜୀବନର ସଫଳତାର ଶୀର୍ଷରେ ପହଞ୍ଚିବାକୁ ଶିକ୍ଷାଧିକାରୀ ଶ୍ରୀ ସୂତାର ପରାମର୍ଶ ଦେଇଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଶିରୀଶ ଚନ୍ଦ୍ର ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବହୁବିଧ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ସେବା, ତ୍ୟାଗ, ପାଣ୍ଡିତ୍ୟ, ଆଇନଜୀବୀ, ରାଜନୀତି ଆଦିି ପ୍ରତିଟି କ୍ଷେତ୍ରରେ ସେ ଥିଲେ ବିରଳ ବ୍ୟକ୍ତିତ୍ୱ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷାଦାନର ଧାରା ଓ ଗୁରୁଶିଷ୍ୟ ପରମ୍ପରା ଥିଲା ନିଆରା । ଓଡ଼ିଶାବାସୀଙ୍କ ସ୍ୱତନ୍ତ୍ର ପରିଚିତି ପାଇଁ ଉତ୍କଳ ସମ୍ମିଳନୀର ସକ୍ରିୟ କର୍ମକର୍ତ୍ତା ଭାବେ ଯୋଗ ଦେଇଥିଲେ ସେ । କେବଳ ସେବା ଓ ତ୍ୟାଗ ନୁହେଁ ବରଂ ତତ୍କାଳୀନ ଉତ୍କଳବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ଜୀବନ ତମାମ କାର୍ଯ୍ୟ କରି ଉତ୍କଳର ମଣି ଭାବେ ସମସ୍ତଙ୍କ ହୃଦୟର ମଣିଷ ହୋଇପାରିଛନ୍ତି ବୋଲି ଡ. ଜେନା ମତ ପ୍ରକାଶ କରିଥିଲେ । ସମାଜ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଉତ୍କଳମଣିଙ୍କ ଆଦର୍ଶକୁ ଭିତ୍ତି କରି ସପ୍ତାହବ୍ୟାପୀ ଚାଲିଥିବା ବିଭିନ୍ନ ସେବା ଓ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ମହାନ ବ୍ୟକ୍ତିତ୍ୱଙ୍କ ଜୀବନାଦର୍ଶ ଓ ସୁଦ୍ଧ ବିଚାର ଉତ୍ତର ପିଢ଼ିଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ଏହି ସେବା ଓ ସେବକ ସପ୍ତାହ ଆୟୋଜିତ ହୋଇଥିବା ଶ୍ରୀ ଦାସ କହିଥିଲେ । କବି ପ୍ରଶାନ୍ତ ଦାସ, ସମାଜ ଉତ୍ତର ଓଡ଼ିଶା ବ୍ୟୁରୋ ମୁଖ୍ୟ କୁଳମଣି ବାରିକ, ଜିଲାସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାବିକତାର ପ୍ରତୀକ ଭାବେ ଉତ୍କଳମଣି ଆଜି ସମସ୍ତଙ୍କ ପାଇଁ ଆଦର୍ଶ ହୋଇ ପାରିଛନ୍ତି ବୋଲି କହିଥିଲେ । ସେ ଶ୍ରଦ୍ଧାର ସହ କରିଯାଇଥିବା ସେବା ଓ ତ୍ୟାଗ ସମସ୍ତଙ୍କ ପାଇଁ ପଥ ପ୍ରଦର୍ଶକ ହୋଇଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲା ସ୍କୁଲର ଦୁଇ ଛାତ୍ରୀ କରିସ୍ମିତା ବିନ୍ଧାଣୀ ଓ ଶାଶ୍ୱତି କରଣ ଉତ୍କଳମଣିଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମାଜ ବାଲେଶ୍ୱର ଡେସ୍କ ଇନଚାର୍ଜ ଶଶିରଞ୍ଜନ ମଲିକ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଜିଲାସ୍କୁଲ ଆଲୁମିନି ସାଧାରଣ ସମ୍ପାଦକ ରାଜେଶ ଗିରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରମେଶ୍ୱର ପଣ୍ଡା, ସଙ୍ଘମିତ୍ରା ନାୟକ, ଲିପିପୁଷ୍ପା ବେହେରା, କୌସିକ କୁମାର ଦାସ, ପ୍ରଶାନ୍ତ ମଲିକ, ରତିକାନ୍ତ ବେହେରା ପ୍ରମୁଖ ଜିଲା ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସମାଜ ଜିଲା ପ୍ରତିନିଧି ରତିକାନ୍ତ ପାଢ଼ୀ, ମଲିକ ରିଜୱାନ, ଦେବାଶିଷ ଭୋଇ, ପ୍ରଦୀପ କୁମାର ବାରିକ, ଗୌତମ ସେନ, ଦେବବ୍ରତ ମଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ