ବାଲେଶ୍ୱର ଆଲୋଏଜ’ଶ୍ରମିକଙ୍କ ବକେୟା ପ୍ରାପ୍ୟ ଦାବି : ‘ଫ୍ୟୁଚର ବାଲେଶ୍ୱର’ର ଆନ୍ଦୋଳନ ଚେତାବନୀ
ବାଲେଶ୍ୱର, (ସରୋଜ ପଣ୍ଡା): ଜିଲାର ପରାତନ ତଥା ପ୍ରଥମ ଗୁରୁ ଶିଳ୍ପାନୁଷ୍ଠାନ‘ବାଲେଶ୍ୱର ଆଲୋଏଜ’ର ଅଚଳାବସ୍ଥା ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ମୁହଁ ଖୋଲିଛି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଫ୍ୟୁଚର ବାଲେଶ୍ୱର’ । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସଂଗଠନର ସଭାପତି ଆଇନଜୀବୀ ବିଜୟ ପାଣିଗ୍ରାହୀ ଯୋଗଦେଇ ଶିଳ୍ପାନୁଷ୍ଠାନ ବନ୍ଦ ଯୋଗୁଁ ସମ୍ପ୍ରତି ଏହାର ଶ୍ରମିକ କର୍ମଚାରୀମାନେ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ୨୦୧୯ ମସିହା ଅକ୍ଟୋବର ମାସରୁ କାରଖାନାର ଉତ୍ପାଦନ ବନ୍ଦ ହେବା ଯୋଗୁଁ କାର୍ଯ୍ୟରତ ଶ୍ରମିକ କର୍ମଚାରୀଙ୍କ ଅବସ୍ଥା କ୍ରମଶଃ ଦୟନୀୟ ହୋଇପଡ଼ିଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି । ବକେୟାଥିବା ୨୦ ମାସର ଦରମା ସାଙ୍ଗକୁ ଭବିଷ୍ୟନିଧି ପାଣ୍ଠି, ଗ୍ରାଚ୍ୟୁଇଟି, ବୀମା ପ୍ରଭୃତି ଦେୟ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ଅଦ୍ୟାବଧି ଦେଇନଥିବା ସେ ପ୍ରକାଶ କରିଛନ୍ତି । କାରଖାନା କାର୍ଯ୍ୟକ୍ଷମ ହେବା ଆଶାରେ ଶ୍ରମିକମାନେ ଦୀର୍ଘଦିନ ଧାର କରଜ କରି କଷ୍ଟେମଷ୍ଟେ ଚଳି ଆସୁଥିଲେ । ମାତ୍ର ସେ ଆଶା କ୍ରମଶଃ ମଉଳିଯିବା ପରେ ଏବେ ସେମାନଙ୍କ ପ୍ରାପ୍ୟ କିପରି ପାଇବେ ଶ୍ରମିକଙ୍କ ଚିନ୍ତା ବଢ଼ିଥିବା ଫ୍ୟୁଚର ବାଲେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ ପାଇଁ ବିଭିନ୍ନ ସଂଗଠନ ମିଳିତ ଭାବେ ପରିଚାଳନା କର୍ତ୍ତୃପକ୍ଷ, ଜିଲା ପ୍ରଶାସନ ଏମିତିକି ରାଜ୍ୟ ସରକାରଙ୍କ ଠାରେ ଦାବି କରି ଆସୁଥିଲେ ବି ଅଦ୍ୟାବଧି କୌଣସି ପଦକ୍ଷେପ ନିଆ ନଯିବା ଦୁର୍ଭାଗ୍ୟର ବିଷୟ ବୋଲି ଫ୍ୟୁଚର ବାଲେଶ୍ୱର ପକ୍ଷରୁ ଆରୋପ ହୋଇଛି । ଇତିମଧ୍ୟରେ ଶିଳ୍ପାନୁଷ୍ଠାନର କିଛି ଶ୍ରମିକ କୋଭିଡ ଓ ଅନ୍ୟାନ୍ୟ କାରଣ ପାଇଁ ମୃତ୍ୟୁ ବରଣ କରିଥିବା ବେଳେ ସେମାନଙ୍କ ପରିବାର ଏବେ ଶ୍ରମିକ ଅତ୍ୟନ୍ତ ସଙ୍କଟରେ କାଳତିପାତ କରୁଛନ୍ତି । ଏଭଳି ସ୍ଥିତିରେ ଶ୍ରମିକମାନେ କିପରି ବକେୟା ଅର୍ଥ ପାଇବେ ଓ ଏହି ପୁରାତନ ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ ହେବ, ସେନେଇ ଜିଲାର ବୁଦ୍ଧିଜୀବୀ, ରାଜନେତା, ଆଇନଜୀବୀ ଏବଂ ଶ୍ରମିକ ସଂଗଠନ ତଥା ଜନସାଧାରଣ ମିଳିତ ଭାବେ ପ୍ରୟାସ କରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ଏନେଇ ପ୍ରଶାସନ ତଥା ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ଫ୍ୟୁଚର ବାଲେଶ୍ୱରର କର୍ମକର୍ତ୍ତାମାନେ ଆହ୍ୱାନ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସଭାପତି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଫ୍ୟୁଚର ବାଲେଶ୍ୱରର ସାଧାରଣ ସମ୍ପାଦକ ଦୁକୁଲୁ ଘଡ଼େଇ, କାର୍ଯ୍ୟକାରୀ ସଭାପତି ଭବାନୀଶଙ୍କର ପଣ୍ଡା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


