ମରାମତି ହେଉନି ଉଠା ଜଳସେଚନ ପ୍ରକଳ୍ପ, ଏକର ଏକର ଜମିରେ ମରୁଡି ପରିସ୍ଥିତି  

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଦନେଇପୁର ଠାରେ ଥିବା ଉଠାଜଳସେଚନ ପ୍ରକଳ୍ପଟି ମରାମତି ହେଉ ନଥିବାରୁ ଗାଁର ଏକର ଏକର ଜମିରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ବିଲରେ ଗୋରୁ ଚରିଲେଣି । ଶ୍ରାବଣ ସରିବାକୁ ବସିଥିବାବେଳେ ଆଜିଯାଏ ବିଲ ଗୁଡିକୁ ହଳ ମଧ୍ୟ ଯାଇପାରିନି । ଗାଁରେ ଶହେରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ସେମାନଙ୍କ ମଧ୍ୟରେ ୯୮ଭାଗ ହେଉଛନ୍ତି ଚାଷୀ । ଚାଷକଲେ ପରିବାର ଚଳାନ୍ତି । ଏପରି ଅବସ୍ଥାରେ ଚଳିତବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଆଜିଯାଏଁ ବିଲକୁ ହଳବି ଯାଇନି । କିଏ କିପରି ପୋଖରୀ ଓ ନଳକୂପ ସାହାଯ୍ୟରେ ଧାନ ତଳି ପକାଇଥିଲେ ମଧ୍ୟ ଟାଣ ଖରାଯୋଗୁଁ ତାହା ଶୁଖିବାକୁ ବସିଲାଣି । ଗାଁ ଠାରୁ ମାତ୍ର ୧୦୦ମିଟର ଦୁରରେ ସାଳନ୍ଦୀ ନଦୀ ଥିଲେବି ଗାଁ ଲୋକେ ପାଣିଟେପାଏ ପାଇପାରୁ ନାହାନ୍ତି । ୧୯୭୪ ମସିହାରୁ ଏହି ଗ୍ରାମରେ ଗୋଟିଏ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ଦ୍ୱାରା ଗାଁ ଲୋକମାନେ ଖରିଫ ଓ ରବିଚାଷ କରିଆସୁଥିଲେ । କିନ୍ତୁ ଆଜକୁ ୬/୭ବର୍ଷ ହେଲା ଏହା ଅଚଳ ହୋଇ ପଡିଛି । ନଦୀରୁ ମୁଖ୍ୟ ଟାଙ୍କି ପର୍ଯ୍ୟନ୍ତ ପାଇପଲାଇନ ଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ମୁଖ୍ୟ ଟାଙ୍କିଠାରୁ ବିଲ ପର୍ଯ୍ୟନ୍ତ ପାଇପ ଲାଇନ୍‌ଟି ଆଶିଂକ ଭାଙ୍ଗିଯିବାରୁ ଏହା ଅଚଳ ହୋଇଯାଇଥିଲା । ବାରମ୍ବାର ଦାବିପରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ଓ ବିଭାଗୀୟ ସହକାରୀଯନ୍ତ୍ରୀ ଉକ୍ତ ପ୍ରକଳ୍ପକୁ ନିଜେ ଦେଖିବାପରେ ଠିକାଦାରଙ୍କ ଦ୍ୱାରା ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଠିକାଦାର ମୁଖ୍ୟ ଟାଙ୍କି ପର୍ଯ୍ୟନ୍ତ ପାଇପଲାଇନ କାମ କରିବା ସହିତ ମୋଟର ଲଗାଇଦେଲେ । ହେଲେ ବିଲକୁ ଯାଇଥିବା ପାଇପଲାିନକୁ ଆଉ ମରାମତି କଲେନି । ବାରମ୍ବାର ଏନେଇ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । ଯାହାଦ୍ୱାରାକି ଚଳିତବର୍ଷ ବର୍ଷା ନଥିବାରୁ ଚାଷୀମାନେ ଆଜି ପର୍ଯ୍ୟନ୍ତ ଚାଷବାସ ଆରମ୍ଭ କରିପାରି ନାହାନ୍ତି । ଯାହାକୁନେଇ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋେ ଦେଖା ଦେଇଛି । ଯଦି ୭ଦିନ ମଧ୍ୟରେ ପାଣି ନଦିଆଯାଏ ତେବେ ଚାଷୀ ମାନେ ପକାଇଥିବା ଧାନତଳିବି ଉଜୁଡି ଯିବାର ଆଶଙ୍କା ଦେଖା ଦେଇଛି । ଏଣୁ କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ଉଠାଜଳସେଚନ ପ୍ରକଳ୍ପଟିକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ମାଧବ ଚନ୍ଦ୍ର ପାଣିଗ୍ରାହୀ, ପ୍ରଭାତ ପୃଷ୍ଟି, କାର୍ତ୍ତିକ ପାଣିଗ୍ରାହୀ, ସାବିତ୍ରୀ ପାଣିଗ୍ରାହୀ, ଭାଗିରଥି ମିଶ୍ର, ଭଜହରି ମିଶ୍ର, ଅମୁଲ୍ୟ କୁମାର ମିଶ୍ର, ନିରାକାର ପଣ୍ଡା, ମାନସ ରଞ୍ଜନ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ପଣ୍ଡା, ଗଣେଶ ଚନ୍ଦ୍ର ପାଣିଗ୍ରାହୀ, ଶରତ କୁମାର ମିଶ୍ର, ମନୋରଞ୍ଜନ ମିଶ୍ର, ସନାତନ ସେଠୀ, ନାରାୟଣ ପୃଷ୍ଟି, ପାର୍ବତୀ ପୃଷ୍ଟି ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ରବିନାରାୟଣ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେଠି କାହାକୁ ଠିକା କାମ ଦିଆଯାଇନି । ଗ୍ରାମବାସୀଙ୍କ ଦାବି ଅନୁଯାଇ ନିଜ ତରଫରୁ ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରିଛୁ । ଆଉ ୪/୫ଖଣ୍ଡ ପାଇପ ଲାଗିଗଲେ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରିବ ବୋଲି ସେ କହିଛନ୍ତି । ଯଦି ୪/୫ଖଣ୍ଡ ପାଇପ ଲାଗିବ ତେବେ ବିଭାଗ ପକ୍ଷରୁ ସେତିକି କାହିଁକି ଲଗାଯାଉ ନାହିଁ ଓ ଚାଷୀଙ୍କ ଜମିକୁ କାହିଁକି ପାଣିମଡାଇବାର ବ୍ୟବସ୍ଥା କରାଯାଉନାହିଁ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ