ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ୭୯ଟି ଅଭିଯୋଗ ପଂଜିକୃତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜ୍ୟୋତି ଫେଡେରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ଜେ. ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୭୯ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୧୨ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୬୭ ଟି ରହିଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ସମସ୍ୟା ସଂପର୍କୀୟ ୩ ଟି, ଆବାସ ଯୋଜନା ସଂପର୍କୀୟ ୧୩ ଟି, ଜମିଜମା ସମସ୍ୟା ସଂପର୍କୀୟ ୧୫ ଟି, ପେନସନ ପାଇବା ପାଇଁ ୦୭ ଟି, ପୋଲିସ ସହାୟତା ପାଇବା ପାଇଁ ୨ଟି, ରେଡକ୍ରସ ସହାୟତା ପାଇଁ ୦୧ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ସହାୟତା ପାଇଁ ୩ ଟି ଏବଂ ଅନ୍ୟାନ୍ୟ ୨୨ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୦୧ଟି ଅଭିଯୋଗର ତତ୍କାଳ ଫଏସଲା ହୋଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକର ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । ଅଭିଯୋଗ ମଧ୍ୟରେ ନାଉଗାଁ-ଡାବର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରେ ହେଉଥିବା କାର୍ଯ୍ୟକୁ ଶୀଘ୍ର ଶେଷ କରିବା ସହ ଗୋଠଦା ସମେତ ରାସ୍ତାର ବିଭିନ୍ନ ସ୍ଥାନରେ ତୁରନ୍ତ ମରାମତି କରିବା ପାଇଁ ପଦ୍ମଚରଣ ସାସମଲ, ସୁବାସ ସ୍ୱାଇଁ, ରମେଶ ବେହୁରା, ପ୍ରତାପ ବେହୁରା, ପ୍ରୀୟଦର୍ଶନ ରଥ ଆଦି ଅଭିଯୋଗ କରିଥିଲେ । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, କୈଳାସ ଚନ୍ଦ୍ର ପରିଡାଙ୍କ ଅଭିଯୋଗ ମୁତାବକ ଉକ୍ତ ଅଂଚଳରେ ଚାଷୀମାନେ ସାଧାରଣତଃ ଚାଷ କାର୍ଯ୍ୟ ପାଇଁ ଉଠା ଜଳସେଚନ ଉପରେ ନିର୍ଭର କରି ଅନେକ ଚାଷୀ ଚାଷ କରିଥାନ୍ତି । କିନ୍ତୁ ବିଦ୍ୟୁତ ବିଭାଗ ପକ୍ଷରୁ ବାରମ୍ବାର ବିଦ୍ୟୁତ କଟା ଯାଉଥିବାରୁ ଚାଷୀ ଚାଷ କାର୍ଯ୍ୟ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି । ତେଣୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଅଭିଯୋଗ କରିଥିଲେ । ବାଉଁଶ ଯୋଡି-ଅଳକା-ଗୋବରୀ ବୁଡି ଅଁଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୋବରୀ ,ବାଉଁଶ ଯୋରୀରୁ ଦଳ ସଫା କରିବା,ବାଉଁଶ ଯୋରୀ ନାଳ ମାଧ୍ୟମରେ ଠିକ ଭାବେ ଉଦବୃତ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଚାଷୀମାନେ ଚାଷ କାର୍ଯ୍ୟ କରିବାକୁ ଅସୁବିଧାରେ ସମ୍ମଖୀନ ହେଉଛନ୍ତି । ତେଣୁ ଉକ୍ତ ନାଳକୁ ବାଲିକୁଦା ବ୍ଲକ ମାଛଗାଁ ମୁଗୁରିଆ ନାଳ ଦେଇ ନୂଆଗାଁ, ତାଳଗାଁ, କୁଶୁପୁର ଦେଇ ଦେକଣି ନିକଟରେ ସମୁଦ୍ରରେ ମିଶିଲେ ଉଦବୃତ ଜଳ ସହଜରେ ନିଷ୍କାସିତ ହୋଇ ପାରିବ ବୋଲି ପଦ୍ମଚରଣ ସାସମଲ, ସୁବାସ ସ୍ୱାଇଁ, ରମେଶ ବେହୁରା, ପ୍ରତାପ ବେହୁରା ଆଦି ଅଭିଯୋଗ କରିଥିଲେ । ଗଳଧାରୀ ପଂଚାୟତରେ ଖେଳ ପଡିଆ ଯୋଗାଇ ଦେବା ପାଇଁ ପଂଚାୟତର କିଶୋର କୁମାର ନାୟକ, ଦେବୀପ୍ରସାଦ ନାୟକ,ସ୍ମୃତିରଂଜନ ସ୍ୱାଇଁ ଅଭିଯୋଗ କରିଥିଲେ । ବ୍ଳକରେ ବିଗତ ଦିନରେ ହୋଇଥିବା ଦୁର୍ନିତି ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଓ ବିଦ୍ୟାଳୟ ଜମିକୁ ଜବରଦଖଲ ମୁକ୍ତ କରିବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଅଭିଯୋଗ କରିଥିଲେ । ସେହିପରି ଅଭିଯୋଗକାରୀମାନେ ଦୀର୍ଘ ସମୟ ଅଭିଯୋଗ ଧରି ଠିଆ ହୋଇ ରହୁଥିବା ବେଳେ ଅଭିଯୋଗକାରୀଙ୍କୁ ବସିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଙ୍ଗେ ସଙ୍ଗେ ଜିଲ୍ଲାପାଳ ଅଭିଯୋଗକାରୀଙ୍କୁ ବସିବା ପାଇଁ ଚୌକିର ବ୍ୟବସ୍ଥା କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗକାରୀମାନେ ଚୌକି ଉପରେ ବସି ଜିଲ୍ଲାପାଳଙ୍କୁ ଆପତି ଜଣାଇଥିଲେ । ଆବାସ ଯୋଜନାରେ ପକ୍କା ଗୃହ ପାଇଁ ଅରଖପାରୀ ଗ୍ରାମର ନାଲୁ ଭୋଇ ଓ ଦିଲ୍ଲିପ ଭୋଇ ଅଭିଯୋଗ କରିଥିଲେ । ଏହି ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସହିତ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର୍, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ରବିନାରାୟଣ ଜେଠୀ, ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଶ୍ମିରଂଜନ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ବିଡିଓ ତପନ କୁମାର ମହାପାତ୍ର, ତହସିଲଦାର ଶିବାଶିଷ ପରିଡାଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ ।


