ବିଡିଓଙ୍କ ଅଭିଯୋଗକୁ ୨ମାସ ପୁରିବାକୁ ବସିଲାଣୀ, ହେଲେ ଗିରଫ ହେଲେନି ଅଭିଯୁକ୍ତ

ନାଉଗାଁ, (ଓ୍ବାଇଏନ୍ଏସ୍) : ଗତ ମେ ୨୫ ତାରିଖରେ ଜାମୁଗାଁ ପଂଚାୟତ କଣିପଡାସ୍ଥିତ ପଲିଟେକନିକ ମହାବିଦ୍ୟାଳୟରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେତେକ ପ୍ରବାସୀ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଅଶ୍ଳିଳ ଗାଳିଗୁଲଜ କରିଥିଲେ । ଏସଂକ୍ରାନ୍ତରେ ବିଡିଓ ନାଉଗାଁ ଥାନାରେ ଗତ ମେ ୨୭ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଦୀର୍ଘ ୨ ମାସ ପୁରିବାକୁ ବସିଲା ହେଲେ ଏପର୍ଯ୍ୟନ୍ତ ଥାନା ତରଫରୁ କେବଳ ମାମଲା ରୁଜୁ କରାଯାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାକି ଥାନାଧିକାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରିଛି । ଜଣେ ମହିଳା ପ୍ରଶାସନିକ ଅଧିକାରୀଙ୍କ ଉପରେ ଥାନାଧିକାରୀଙ୍କ ଉପସ୍ଥିତିରେ ଏପରି ଅଶ୍ଳୀଳ ବ୍ୟବହାର କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟର ପତ୍ର ସଂଖ୍ୟା-୧୧୯୩, ତା ୨୭ ମେ ୨୦୨୦ ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ଲିଖିତ ଅଭିଯୋଗ ମୁତାବକ ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାହାରିଥିବା କରୋନା ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରିବା ପାଇଁ ଥାନାଧିକାରୀ,ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ସେଠାକୁ ଯାଇଥିଲେ । ସେଠାରେ ପହଂଚିବା ପରେ ସେଠାରେ ଥିବା ପ୍ରବାସୀ ଗାରୋଇର ଦିପକ କୁମାର ନାୟକ ରହୁଥିବା କଠୋରୀରୁ ବାହାରି ଆସି ଖରାପ ଭାଷାରେ ଗାଲିଗୁଲଜ କରିଥିଲା । ସେହି ସ୍ଥାନରେ ଥାନାଧିକାରୀଙ୍କ ସହିତ ମେଡିକାଲ ଟିମ ମଧ୍ୟ ଉପସ୍ଥିତ ଥିଲେ । ଦିପକଙ୍କ ସହିତ ଆହୁରି ୫ ଜଣ ପ୍ରବାସୀ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ସେମାନଙ୍କ ମଧ୍ୟରେ ଡେରିକି ପଂଚାୟତସ୍ଥିତ ଗଙ୍ଗଦାର ସିଶୀଲ କୁମାର ଜେନା, ସରୋଜିନ ଜେନା, ଗାରୋଇର ଜଗନ୍ନାଥ ନାୟକ, ଶିଖରସ୍ଥିତ ଜୋରାଗଣ୍ଡର ରାକେଶ ସାହୁ, ପାରିଶିଖରର ଜୟନ୍ତ ବାରିକ ଆଦି ଗାଳି ଗୁଲଜ ମଧ୍ୟ କରିଥିଲେ । ଏପରିକି ସେମାନେ ବିଡିଓକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଘୋଷାରୀ ଆଣ,ତୋତେ ବିଡିଓ କିଏ କରିଛି, ତୋତେ ଗାଡି ଦୁର୍ଘଟଣା କରି ମାରି ଦେବୁ ଆଦି ଭାଷା ପ୍ରୟୋଗ କରିଥିଲେ । ଆମ ପାଖକୁ ଖାଦ୍ୟ କାହିଁକି ନ ଆଣି ଦୁରରେ ରଖୁଛ ବୋଲି ମଧ୍ୟ କହିଥିଲେ । ଏବଂ ସ୍ୱାବ ପରୀକ୍ଷା ପାଇଁ ଡିମାଣ୍ଡ କରିଥିଲେ । ଜଣେ ମହିଳା ଅଧିକାରୀ ହିସାବରେ ଏହି ସବୁ ବ୍ୟବହାର ଗ୍ରହଣୀୟ ନୁହେଁ । ତେଣୁ ଉକ୍ତ ବ୍ୟକ୍ତି ବିଶେଷଙ୍କ ୭ ଦିନିଆ ହୋମ କ୍ୱାରେଂଟାଇନ ଶେଷ ହେବା ପରେ ଅର୍ଥାତ ୩ ଜୁନ ୨୦୨୦ ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦର୍ଶାଯାଇଛି । ଏପରି ଏକ ସମ୍ବେଦନଶୀଳ ଘଟଣା ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରା ନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବିଷୟରେ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁଙ୍କୁ ପଚାରିବାରୁ ଅଭିଯୋଗକୁ ଭିତିକରି ୮୪/୨୦୨୦ରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ